ମିନୁ ଆଜି ବହୁତ ଖୁସି। ଏତେ ଦିନ ପରେ ଯାହାହେଉ ଛୁଟି ମିଳିଛି। ବାହାରେ ଆସି ଚାକିରି କରିବା ପରେ ଏଇ ପ୍ରଥମ ଥର ସେ ଘରକୁ ଯାଉଛି ଛୁଟିରେ। ଚାକିରି କରିବା ପରେ ପ୍ରଥମ ଥର ଯେତେବେଳେ ଘରକୁ ଯାଉଛି, ଘରକୁ କଣ ଖାଲି ହାତରେ ଯିବ! ତେଣୁ ମନ ଖୁସିରେ ବଜାର ଯାଇ ସମସ୍ତଙ୍କ ପାଇଁ ମନ ପସନ୍ଦର ଉପହାର ସବୁ କିଣିଲା। ନିଜ ପାଇଁ ବି ଗୋଟେ ସୁନ୍ଦର ଡ୍ରେସ ବାଛିଲା। ବିଲ୍‍ କରିସାରିବା ବେଳକୁ କିନ୍ତୁ ପଇସା ନିଅଣ୍ଟ ପଡିଲା। ତେଣୁ ଡ୍ରେସଟିକୁ ଛାଡି ବାକି ସବୁ ନେଇକି ଫେରିଲା। ପରଦିନ ଟ୍ରେନ୍‍ ରେ ବସି ଘରକୁ ବାହାରିଲା। ଝରକା କାଚ ଦେଇ ବାହାରକୁ ଅନେଇ କେତେ କଥା ସବୁ ଭାବୁଥାଏ। ମନେ ପଡିଗଲା ତାର ପୁରୁଣା ଦିନର କଥା ସବୁ।

ପାର୍ବଣ ସମୟ। ଘରେ ଖୁସିର ଆସର। ସବୁ ବର୍ଷ ପରି ଏଥର ବି ପୂରା ଧୁମଧାମରେ ଉତ୍ସବ ପାଳନ କରାଯିବ। ସନ୍ଧ୍ୟାବେଳେ ବାପା କହିଲେ, ନୂଆ ଡ୍ରେସ କିଣିବନି କି? ଚାଲ ବଜାର ଯିବା। ମିନୁର ଖୁସି କହିଲେ ନସରେ। ବଜାରରୁ ଫେରିବା ପରେ ବାରବାର ସେ ଡ୍ରେସକୁ ଦେହରେ ପକାଇ ଦେଖୁଥାଏ। କିଛି ସମୟ ପରେ ହଠାତ ଯାଇ ବାପାଙ୍କୁ ପଚାରିଲା, ବାପା! ପୂଜା ସମୟ। ଏଥର ବି ତମେ କିଛି ନୂଆ ଆଣିଲନି ନା ନିଜ ପାଇଁ! କେତେ ଆଉ ମଣିଷ କହିବ! ସବୁଦିନ ସେମିତି ଦୀନହୀନ ହେଇ ରହିଥାଅ। ଅତି ବେକାରିଆ ଲୋକ!

ଆଜି ନିଜ ଉପରେ ହସ ଲାଗୁଛି। ନିଜେ ଆଜି ଯେଉଁ ପରିସ୍ଥିତିର ସେ ସାମ୍ନା କରିଛି, ବାପା ହୁଏତ ଅନେକ ଥର ଏମିତି ପରିସ୍ଥିତିର ସାମ୍ନା କରିଥିବେ। ହଠାତ ଷ୍ଟେସନ ଆସିବାରୁ ମିନୁ ପ୍ରକୃତିସ୍ଥ ହୋଇ ଟ୍ରେନରୁ ଓହ୍ଲାଇଲା। ବାପା ଆଗରୁ ପ୍ଳାଟଫର୍ମରେ ଅପେକ୍ଷା କରିଥିଲେ। ଘରେ ପହଞ୍ଚି ଟିକେ ଆରାମ କରିବା ପରେ ସନ୍ଧ୍ୟାରେ ବାପା କହିଲେ, ମା’ ରେ! ଡ୍ରେସ କିଣିବୁନି କି!! ଯାଆ, ଜଲଦି ବାହାରି ପଡେ।



ନିଜକୁ ସେ ଆଜି ପ୍ରଶ୍ନ କରୁଥିଲା, କିଏ ପ୍ରକୃତରେ ବେକାରିଆ??